ପୁରୀ (ଏଟିଆର ବ୍ୟୁରୋ ) ; ନିୟମ ମାନୁନାହାନ୍ତି ଖୋଦ ପୋଲିସ କର୍ମଚାରୀ । ପୁଣି ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିରର ଭିତର ଫୋଟୋ । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ପୋଲିସ ଅଧିକାରୀ ହିଁ ଶ୍ରୀମନ୍ଦିରର ଭିତର ଫୋଟୋ ଭାଇରାଲ କରିଛନ୍ତି । ପୁରୀ ସମୁଦ୍ରକୂଳ ଥାନାର ସବଇନ୍ସପେକ୍ଟର ଦିଲୀପ ପଣ୍ଡା ତାଙ୍କ ନିଜ ଫେସବୁକ ଆକାଉଣ୍ଟରେ ଏହି ସବୁ ଫୋଟୋକୁ ଭାଇରାଲ କରିଛନ୍ତି ।
ଆଜି ମହାଳୟାର ପବିତ୍ର ଅବସରରେ ଦିଲୀପ ପଣ୍ଡା ନିଜ ପିତୃ ପୁରୁଷଙ୍କର ପିଣ୍ଡ ଦାନ ନିମନ୍ତେ ଶ୍ରୀମନ୍ଦିରକୁ ଯାଇଥିଲେ । ତେବେ ସେଠାରେ ସେ ବାଇସିପାହାଚ ସମେତ ମନ୍ଦିରର ବିଭିନ୍ନ ଜାଗା ରେ ନିଜ ଫୋଟୋ ଉଠାଇ ଏହି ଫୋଟୋ ଗୁଡିକୁ ସୋସିଆଲ ମିଡିଆରେ ଛାଡିଛନ୍ତି । ଏମିତିକି ସେ ସିଂହଦ୍ୱାର ନିକଟରେ ନିଜେ ସେଲ୍ଫି ମଧ୍ୟ ନେଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସେପଟେ ଏଠାରେ ପ୍ରଶ୍ନ ଉଠୁଛି ଯେ , ଆଇନ ଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରୁଥିବା ତଥା ମାନୁଥିବା ପୋଲିସ ବାବୁ ଏପରି ଭୁଲ କେଲେ କେମିତି ? ମନ୍ଦିର ଭିତରକୁ ସାଧାରଣ ଲୋକମାନଙ୍କ ପାଇଁ ମୋବାଇଲ କଟକଣା ଥିବା ବେଳେ ପୋଲିସ ବାବୁଙ୍କ ପାଇଁ କାହିଁକି ନୁହେଁ ? କାହା ଅନୁମତିରେ ଦିଲୀପ ପଣ୍ଡା ମନ୍ଦିର ପରିସରକୁ ମୋବାଇଲ ନେଇ ଗଲେ ? ଦଣ୍ଡ ପାଇବେ ତ ଏହି ପୋଲିସ କର୍ମଚାରୀ ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠିଛି । ତେବେ ଏ ବିଷୟ ନେଇ ସବଇନସ୍ପେକ୍ଟର ଦିଲୀପ ପଣ୍ଡାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।