ଲଣ୍ଡନ (ଏଟିଆର ବ୍ୟୁରୋ); ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଛି ପାକିସ୍ତାନ । ଭାରତ ପ୍ରଥମେ ବ୍ୟାଟିଂ କରିବ । ଆଜିର ମ୍ୟାଚରେ ଧାୱନ ଖେଳୁ ନାହାଁନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧାୱନଙ୍କ ଆଙ୍ଗୁଳିରେ ଲାଗିଥିଲା ଆଘାତ । ତେବେ ଆଜି ଧାୱନଙ୍କ ସ୍ଥାନରେ ଯୁବ ଅଲରାଉଣ୍ଡର ବିଜୟ ଶଙ୍କର ଖେଳୁଛନ୍ତି । ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଅଭିଜ୍ଞ ଦିନେଶ କାର୍ତ୍ତିକ ସ୍ଥାନ ପାଇବେ ।
ଭାରତର ଓପନର ରୋହିତ ଶର୍ମାଙ୍କ ସହ କେଏଲ ରାହୁଲ ଖେଳ ଆରମ୍ଭ କରିବେ । ଧାୱନ ଥିବା ବେଳେ ରାହୁଲ ଚତୁର୍ଥ ସ୍ଥାନରେ ଖେଳୁଥିଲେ । କିନ୍ତୁ ଆଜି ଧାୱନଙ୍କ ଅନୁପସ୍ଥିତିରେ ସେ ଓପନିଂ କରିବେ । ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ରାହୁଲଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ । ତେବେ ସେ ଏଥିରେ ସଫଳ ହେଲେ ଆଗାମି ଦିନରେ ଓପନିଂ ଜାରି ରଖିବେ ବୋଲି ଆଶା କରାଯାଉଛି ।
ପାକିସ୍ତାନର ବୋଲିଂ ଲାଇନ ସବୁବେଳେ ଭଲ ହୋଇଥାଏ । ତେବେ ଭାରତୀୟ ଖେଳାଳିମାନେ ଏବେ ଦମଦାର ଫର୍ମରେ ଅଛନ୍ତି । ଏଣୁ ଆଜି ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିପକ୍ଷରେ ଏକ ବିଶାଳ ସ୍କୋର କରିବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ମ୍ୟାଚ ମଝିରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶ୍ୱକପରେ ଆଜି ପର୍ଯ୍ୟନ୍ତ ପାକିସ୍ତାନ କେବେ ଭାରତଠାରୁ ଜିତି ନାହିଁ । ନୂଆ ରେକର୍ଡ କରିବା ଲକ୍ଷ୍ୟରେ ପାକିସ୍ତାନ । ବିଶ୍ୱକପ ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ଏହି ମ୍ୟାଚ ନଖେଳିବା ପାଇଁ କହିଥିଲେ ଭାରତୀୟ ଖେଳାଳି ।