କଟକ(ଏଟିଆର ବ୍ୟୁରୋ):ଓଡିଶାର କଟକ ଜିଲ୍ଲା ଆଠଗଡଠାରେ ବଡମ୍ବା ବ୍ଲକର ଶଶାଙ୍ଗ ଗ୍ରାମରେ ରହିଛି ମା’ ଭଟ୍ଟାରିକାଙ୍କ ମନ୍ଦିର । ଏହି ପବିତ୍ର ପୀଠଟି ଦେବୀ ପୀଠ ନାମରେ ଖୁବ୍ ପ୍ରସିଦ୍ଧ ।ଏହା ମହା ନଦୀ କୂଳରେ ଅବସ୍ଥିତ । ଓଡିଶାର ଏହି ମହାନଦୀ ମା’ ଭଟ୍ଟାରିକାଙ୍କ ପକ୍ଷ ଦେଇ ବୋହିଥାଏ । ଏଠାରେ ନଦୀର ଗଭୀରତା ଅଧିକ ଥାଏ ।
କିମ୍ବଦନ୍ତୀ ଅନୁସାରେ ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶ ଦ୍ୱାରା ହଟ୍ଟ ଏବଂ ମଲ୍ଲ ନାମକ ଦୁଇ ଭାଇ ଏଠାରେ ଶଙ୍ଖ ଏବଂ ମହୁରୀ ନାମକ ଦୁଇ ଗ୍ରାମ ବସାଇଥିଲେ । କାଳକ୍ରମେ ଏହି ଦୁଇ ଗାଁ ମିଶି ଏବେ ଶଙ୍ଖାମେରି ହୋଇଛି । ଦୁଇ ଭାଇ ନିଜର ଗଡ ତିଆରି କରିବା ପାଇଁ ସ୍ଥାନ ସନ୍ଧାନ କରୁଥିଲେ, ହଠାତ୍ ତାଙ୍କ ନଜରକୁ ଆସିଲା ଶବରଙ୍କ ଦଖଲରେ ଥିବା ଏକ ଜାଗା । ସେହି ଜାଗାର ଅଲୌକିକ ଘଟଣା ଦେଖି ଜାଣିଲେ ଯେ , ସେହି ମାଟି ହେଉଛି ବୀର ମାଟି ସେଥିରେ ଗଡ ନିର୍ମାଣ କଲେ ଉପଯୁକ୍ତ ହେବ । କିନ୍ତୁ ଶବର ସେହି ଜାଗା ଖାଲି କରିବା ପାଇଁ କଦାପି ରାଜି ନଥିଲେ । ଏବଂ ପରେ ଦୁଇଭାଇ ଶବରଙ୍କ ସହ ଯୁଦ୍ଧ କଲେ, ଯୁଦ୍ଧରେ ଶବରଙ୍କ ମୃତ୍ୟୁ ହେଲା ଏବଂ ତାପରେ ଶବରୀଙ୍କ ସହ ଲଢିଲେ । ଶେଷରେ ଶବରୀ ମଧ୍ୟ ହାରିଲେ, ମୃତ୍ୟୁ ପୂର୍ବରୁ ଶବରୀ ଦୁଇଭାଇଙ୍କୁ କହି ଯାଇଥିଲେ ଯେ ସେହି ସ୍ଥାନରେ ମହାକାଳୀ ଓ ଭଟ୍ଟାରିକାଙ୍କୁ ପୂଜିବା ପାଇଁ । ଏହାପରେ ଦୁଇଭାଇ ସେଠାରେ ଭଟ୍ଟାରିକା ନାମରେ ଏକ ମନ୍ଦିର ନିର୍ମାଣ କଲେ ।
ଏହି ପବିତ୍ର ପୀଠରେ ରାଜା ପର୍ଶୁରାମ ନିଜେ ତୀରମୁନରେ ପ୍ରସ୍ତର ଖୋଦେଇ କରି ଶକ୍ତି ରୂପିଣୀ ମହାମାୟୀ ମା’ ଭଟ୍ଟାରିକାଙ୍କ ମୂର୍ତ୍ତି ଗଢି ସେଠାରେ ପୂଜା କରିଥିଲେ । ଏହି ପୀଠକୁ ପର୍ଶୁରାମ ପୀଠ ବୋଲି ମଧ୍ୟ କୁହାଯାଏ । ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବା ନିମେନ୍ତ ପର୍ଶୁରାମ ମା’ ଭଟ୍ଟାରିକାଙ୍କୁ ପ୍ରାର୍ଥନା କରି ତାଙ୍କ ଠାରୁ ବର ଲାଭ କରିଥିଲେ । ରାମାୟଣ ଅନୁସାରେ ରାମ, ସୀତା ଏବଂ ଲକ୍ଷ୍ମଣ ସେହି ବାଟରେ ପଞ୍ଚବଟି ବୃକ୍ଷ ମୂଳରେ ମା’ ଭଟ୍ଟାରିକାଙ୍କୁ ପ୍ରାର୍ଥନା କରୁଥିଲେ । ମହାନଦୀର ଅନ୍ୟପଟରେ ମାଙ୍ଗଡଗାଡିଆ ପାହାଡ ଉପରେ ଶ୍ରୀରାମ, ସୀତା ଏବଂ ଲକ୍ଷ୍ମଣଙ୍କର ପାଦ ଚିହ୍ନ ପୂଜା ପାଉଛନ୍ତି । ସେଠାରେ ଏହାର ଖବ୍ ମହତ୍ୱ ରହିଛି ।
ଦଶହରା ପର୍ବର ମହାଷ୍ଟମୀ ତିଥୀରେ ଏହି ମନ୍ଦିରରେ ବାର୍ଷିକ ଯାତ୍ରା ଅନୁଷ୍ଟିତ ହୋଇଥାଏ ।ପୁରାତନ କାଳରେ ଏହି ଯାତ୍ରା ରେ ମାନସିକଧାରୀ ଭକ୍ତମାନେ ଦେବୀଙ୍କ ପୀଠରେ ଛାଗବଳି ପକାଉଥିଲେ । କିନ୍ତୁ ମନ୍ଦିର ପ୍ରଶସନା ପକ୍ଷରୁ ବର୍ତ୍ତମାନ ଏହି ବଳିକୁ ବନ୍ଦ କରି ଦିଆଯାଇଛି । ଅନ୍ୟପକ୍ଷରେ ମା’ ଆଦ୍ୟାଶକ୍ତି ସିଂହବାହିନୀ ହୋଇଥିବାରୁ ତାଙ୍କୁ ଶ୍ରୀଦୁର୍ଗାଙ୍କର ନିତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ ।