ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ । ଏଭଳି ଅଭିଯୋଗ ପହଞ୍ଚିଛି ତମାଣ୍ଡୋ ଥାନାରେ । ପାଖାପାଖି ୫୦ରୁ ଅଧିକ ପିଲାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଏକ ସଂସ୍ଥା ସେମାନଙ୍କୁ ଚୂନ ଲଗାଇଛି । ଅଭିଯୋଗ ପାଇବା ପରେ ପୁଲିସ ସଂସ୍ଥାର ମୁଖ୍ୟକୁ ଅଟକ ରଖିଛି । ଏହି ଠକ ଜଣକ ହେଉଛନ୍ତି ରବି ଟକିଜ ନିକଟରେ ରହୁଥିବା ସମରେଶ ମହାନ୍ତି ।
ପୁଲିସ ସମରେଶଙ୍କୁ ଅଟକ ରଖି ପଚରାଉଚରା କରୁଛି । ଠକାମୀର ଚେର କେତେବାଟ ଲମ୍ବିଛି ତାହାର ଠିକଣା ଖୋଜୁଛି । ରିପୋର୍ଟ ଅନୁସାରେ, ପାତ୍ରପଡ଼ା ଅଞ୍ଚଳରେ ସମରେଶ ବେକାରୀ ଯୁବକ/ଯୁବତୀଙ୍କୁ ଚାକିରି କରାଇ ଦେବା ନେଇ ଏକ ସଂସ୍ଥା ଖୋଲିଥିଲେ । ନାଁ ରଖିଥିଲେ ଏସଏସ ଆସୋସିଏଟ । ତେବେ ଏହାକୁ ଢ଼ାଲ କରି ଏକାଧିକ ଯୁବକ/ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ମିଠା ମିଠା କଥା କହି ନିଜ ଆଡକୁ ଟାଣିଥିଲେ । କୌଣସି ମତେ ବିଶ୍ୱାସ ଜନ୍ମାଇ ସେମାନଙ୍କଠୁ ହରିଲୁଟ କରିଥିଲେ ଟଙ୍କା । ସେହିଭଳି ଠକାମୀରେ ପଡିଥିଲେ ସ୍ଥାନୀୟ ଅଞ୍ଚଳର ପ୍ରଭାକର ବେହେରା ।
ନିଜ ପୁଅର ଭବିଷ୍ୟତ ଲାଗି ପ୍ରଭାକର ସିନା ଟଙ୍କା ଦେଇ ଦେଇଥିଲେ କିନ୍ତୁ ବାସ୍ତବରେ ପୁଅକୁ ଚାକିରି ମିଳିନଥିଲା । ବାରମ୍ବାର ଦୌଡିବା ପରେ ମଧ୍ୟ ସଂସ୍ଥାର ମୁଖ୍ୟ ସମରେଶ ତାଙ୍କୁ ପ୍ରତିଥର ଭୁଆଁ ବୁଲାଇଥିଲେ । ତେବେ ଦୁଇଦିନ ତଳେ ଅଚାନକ ସମରେଶ ଅଫିସରେ ତାଲା ପକାଇ ଆଉ ଧରାଛୁଆଁ ଦେଇନଥିଲେ । ଠକାମୀର ଶିକାର ହେବା ଜାଣିବା ପରେ ପ୍ରଭାକର ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ରାତି ଅଧିଆ ସମରେଶଙ୍କୁ ଉଠାଇ ଆଣିଥିବା ଜଣାପଡିଛି । ତେବେ ଏନେଇ ପୁଲିସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଥାନା ଅଧିକାରୀ ଫୋନ ଉଠାଇନଥିଲେ ।