ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଚନ୍ଦ୍ରଶେଖରପୁର ଏରିଆରେ ଚାଁଚଲ୍ୟ । ଆପାର୍ଟମେଁଟ ତଳେ ଥିବା କାର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣାରେ ପୁଲିସ ସ୍କାନରକୁ ଆସିଛନ୍ତି ଛତିଶଗଡ଼ ରାୟପୁରର ଶଶାଙ୍କ ଗୁପ୍ତା । ପୁଲିସ ତାଙ୍କୁ ଜେରା କରୁଛି । ଶଶାଙ୍କଙ୍କ କାର ପଛ ସିଟିରୁ ମିଳିଥିବା ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ସେ ତାଙ୍କ ଅଫିସର ଜଣେ ବନ୍ଧୁଙ୍କ ପତ୍ନୀ ବୋଲି ଚର୍ଚ୍ଚା ହେଉଛି । ପୁଲିସ ମୃତଦେହକୁ ଜବତ କରିବା ସହ ସାଇଁଟିଫିକ ଟିମ ସହାୟତାରେ ଘଟଣାର ଛାନଭିନ ଆରମ୍ଭ କରିଛି । ଶ୍ରୀବିହାରରେ ଥିବା ନିତ୍ୟାନନ୍ଦ ଆପାର୍ଟମେଁଟରେ ଏଭଳି ଘଟଣା ଘଟିଛି । ସବୁଠୁ ବଡ଼ କଥା ହେଉଛି ମୃତଦେହକୁ କାରରେ ନେବା ଓ ପୁଣି ଆଣି କାରକୁ ଆପାର୍ଟମେଁଟରେ ରଖି ଶଶାଙ୍କ ସ୍କୁଟି ନେଇ ପଳାଇବା ଘଟଣାର ଏକ୍ସକ୍ଲ୍ୟୁସିଭ ସିସିଟିଭି ଫୁଟେଜ ଲାଗିଛି ଏଟିଆର ନ୍ୟୁଜ ହାତରେ ।
ଆପାର୍ଟମେଁଟର ସି ବ୍ଲକ ୩୦୧ ଫ୍ଲାଟରେ ଆଜକୁ ୨ବର୍ଷ ହେବ ଶଶାଙ୍କ ଓ ତାଙ୍କ ପତ୍ନୀ ଖୁସବୁ ଗୁପ୍ତା ରହିଆସୁଥିଲେ । ତେବେ ପିଲାପିଲି ହେବା କାରଣରୁ ଖୁସବୁ ନିଜ ଗାଁ ଛତିଶଗଡ଼ ରାୟପୁରକୁ ପଳାଇଥିଲେ । ତେବେ ଏକାକି ରହୁଥିବା ଶଶାଙ୍କ କିଛିଦିନ ହେବ ଜଣେ ମହିଳାଙ୍କୁ ଧରି ଅନେକ ସମୟରେ ଆପାର୍ଟମେଁଟକୁ ଆସୁଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି । ଶୁଣିବାକୁ ମିଳୁଛି ଏହି ମହିଳା ଜଣଙ୍କ ହେଉଛନ୍ତି ଶଶାଙ୍କ ବନ୍ଧୁଙ୍କ ପତ୍ନୀ । ଗତକାଲି ମଧ୍ୟ ଉଭୟ ଆପାର୍ଟମେଁଟକୁ ଆସିଥିଲେ । ସନ୍ଧ୍ୟାରେ ଉଭୟ ସାଙ୍ଗହୋଇ ବସି ମଦ ପିଇଥିଲେ । ନିଶାରେ ଗୋଡ ଖସିଯିବାରୁ ବାଲକୋନୀରୁ ଖସିପଡି ମହିଳାଙ୍କ ମୃତ୍ୟୁ ହୋଇଥିବା ଶଶାଙ୍କ ପୁଲିସକୁ ସୂଚନା ଦେଇଛନ୍ତି ।
ତେବେ ଏହାରି ଭିତରେ ପୁଲିସ ଅନେକ ଦିଗକୁ ନେଇ ତଦନ୍ତ କରୁଛି । କାରଣ ସିସିଟିଭି କହୁଛି ଯଦି ବାଲକୋନୀରୁ ସେ ଖସି ପଡିଲେ ତୁରନ୍ତ ପୁଲିସକୁ କାହିଁକି ସୂଚନା ଦେଲେନାହିଁ ଶଶାଙ୍କ? କେବଳ ଏତିକି ନୁହେଁ ମୃତଦେହକୁ ଉଠାଇ କାରପଛ ସିଟିରେ ନେଇ ବାହାରକୁ ଯିବା ଓ ପୁଣି କାରକୁ ଆଣି ଆପାର୍ଟମେଁଟରେ ରଖି ସ୍କୁଟି ନେଇ ପଳାଇବା ଘଟଣାର ଆଉ କିଛି ଦିଗକୁ ଇଙ୍ଗିତ କରୁଛି । ସେପଟେ ଶଶାଙ୍କ କହିବାନୁସାରେ, ବାଲକୋନୀରୁ ପଡିଯିବା ପରେ ତାଙ୍କୁ ସେ ପ୍ରଥମେ କଳିଙ୍ଗ ଓ ପରେ କ୍ୟାପିଟାଲ ହସପିଟାଲକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିବା ପରେ କାରକୁ ଆପାର୍ଟମେଁଟ ତଳେ ରଖି ସ୍କୁଟି ନେଇ ପଳାଇ ଆସିଥିଲେ । ଏ ସମ୍ପର୍କରେ ମୃତ ମହିଳାଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ନଜର ପକାନ୍ତୁ ସିସିଟିଭି ଫୁଟେଜ କ’ଣ କହୁଛି
ସମୟ ଗୁରୁବାର ୭ଟା ୨୬: ଶଶାଙ୍କ ଓ ମହିଳା ଆପାର୍ଟମେଁଟକୁ ଆସିଲେ ।
ରାତି ୩ଟା ୨୭ : ମହିଳାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ କାରରେ ନେଇ ଶଶାଙ୍କ ବାହାରକୁ ଗଲେ
ରାତି ୩ଟା ୫୮: କାରରେ ମୃତ ମହିଳା ଥିବା ବେଳେ ପୁଣି ଆପାର୍ଟମେଁଟକୁ ଆସିଲା କାର ।
ଭୋର ୫ଟା ୩୫: କାରକୁ ରଖି ସ୍କୁଟି ଧରି ଆପାର୍ଟମେଁଟରୁ ବାହାରିଗଲେ ଶଶାଙ୍କ